<b>ଆସିବାର ବେଳା</b>
ମୃତ୍ୟୁକୁ ଡାକିଲେ ସିଏ ଆସେ ନାହିଁ
ଯେତେ ଡାକିଲେ ବି ଆସେ ନାହିଁ
ମୃତ୍ୟୁ ଆସେ ତା’ର ନିର୍ଦ୍ଧାରିତ ବେଳାରେ
ଲୁଚି ଛପି, ବେଳ ଉଣ୍ଡି
ଅକସ୍ମାତ! !
ତୁମେ ଯେବେ ଖଟିଆରେ ପଡିଥାଅ
ମୁଁହରେ ମାଛି ଭଣ ଭଣ, ନାକରେ ରକତ
ଆଣ୍ଠୁରେ ପୂଜ୍, ପିଛ ତଳେ ବଥ
ନ ଥାନ୍ତି ପାଖରେ କେହି ଆହା ଟିକେ କରିବାକୁ
ବାନ୍ତିଟାଏ ବି କରିବାକୁ ବଳ ପାଏନି
ଆଖିରେ ଲେଂଜେରା ମିଶା ଉତ୍କଟ ଯନ୍ତ୍ରଣାରେ
ତୁମେ ଚିତ୍କାର କରି ଉଠ – ମୃତ୍ୟୁ! ମୃତ୍ୟୁ! ମୃତ୍ୟୁ!
ସମ୍ଭାଳି ହେଉନାହିଁ ଆଉ,
ନେଇ ଯା’, ନେଇ ଯା’ ମୋ’ତେ ମୃତ୍ୟୁ –
ଆସେ ନାହିଁ ମୃତ୍ୟୁ ।
ତୁମେ ଯେବେ ବସି ଥାଅ ଏକୁଟିଆ
ଚଦର ଘୋଡେଇ ହୋଇ ରାତି ଅଧରେ
ଗାଁ ମୁଣ୍ଡ ବରଗଛ ତଳେ
ଅଦୂରରେ ଜଳୁଥାଏ ସାନଭାଇର ଚିତା
ନିଆଁ ଆଲୁଅରେ ଦିଶିଯାଏ ଭାରିଯାର ମଲା ମୁଁହ
ମନେ ପଡେ ଖେଳସାଥୀ, ସ୍କୁଲସାଙ୍ଗ ମଲାମୁଁହ
ତୁମେ ଛାତି ଚାପି କାନ୍ଦି ଉଠ
ବନ୍ଧୁ ଗଲେ, ଜ୍ଞାତି ଗଲେ, ଝିଅ ଗଲା ଶାଶୁ ଘର
ମୋତେ ଆଉ କିଆଁ ପାଇଁ ରଖିଲ ହେ ପ୍ରଭୋ!
ତୁମେ ଭାବ ଏହି କ୍ଷଣି ଚଡ କରି
ଆସନ୍ତା କି ମୃତ୍ୟୁ!
ଆସେ ନାହିଁ ମୃତ୍ୟୁ ।
ତୁମେ ଯେବେ ଗଡୁ ଥାଅ ଉଷୁମ୍ ବିଛଣାରେ
କାନ ପାଖେ ରେଡିଓ ଜାକି ଶୁଣୁ ଥାଅ କ୍ରିକେଟ
ଭାରତ – ପାକିସ୍ଥାନର ଫାଇନାଲ ମ୍ୟାଚ୍:
ଜିତିବାକୁ ଦଶ ରନ୍ ଆଉ ଗୋଟାଏ ଉଇକେଟ୍!
ଝିଅ ଆସି ଖବର ଦିଏ ଜୋଇଁଙ୍କର ପ୍ରମୋଶନ୍,
ଝିଅର କୋଳରେ କଅଁଳ ଲାଲ୍ ଟୁକ୍ ଟୁକ୍ ନାତି
କୁନି ପାପୁଲିରେ ସାଉଁଳି ପକାଏ ତମ ଦାଢି –
“ଆରେ, ମୋ’ ସୁନାଟାରେ, ମୋ’ ଗେଲ୍ହାଟାରେ, ଓଃ, ଓଃ, ଓଃ
ମୋ’ ଆୟୁଷଟା ତୋତେ ଲାଗି ଯାଉରେ….।“
ତୁମେ ସାଉଁଳି ଦିଅ ବଡ ଗେଲରେ –
ଜିତିବାକୁ ଆଉ ଚାରି ରନ୍
ସେତିକି ବେଳେ ଆସେ ମୃତ୍ୟୁ ।
– – o- –
Leave a Reply