ଆଦ୍ୟାଶା
ଏଇ ସବୁ କିଛି ପଛରେ ତୁମକୁ ଭଲ ପାଇବାର ଇଚ୍ଛା;
ଯଦିଚ ଲେଖିବି ଲେଖିବି ବୋଲି କ’ଣ ଭାବି ଅଧାଲେଖା ଚିଠି ଚିରି ଦିଏ
ଯଦିଚ କହିବି ଖୋଲି ମନ କଥା ବୋଲି କୋହ ଚାପି ଛେପ ଢୋକି ରହି ଯାଏ
ତୁମେ ଭାବିବ କ’ଣ ବୋଲି ମୁଁହ ଭାଙ୍ଗି ଚୁପ ଚାପ ଚାଲି ଯାଏ –
ଏ ସବୁ ପଛରେ ଖାଲି – ଖାଲି ତୁମକୁ ହୃଦୟ ଦେଇ ଭଲ ପାଇଯିବାର ଇଚ୍ଛା ।
ଏଇ ସବୁ କିଛି ଉର୍ଦ୍ଧ୍ୱରେ ତୁମ ଯୋଗ୍ୟ ହେବାର ଆକାଂକ୍ଷା;
ହେଉ ପଛେ ମୋ’ର ଯେତେ ସବୁ ଭୁଲ ପାପ ସ୍ଖଳନର ସଂଶୟ
ହେଉପଛେ ସେଲାଗି କେତେ ପ୍ରାୟଶ୍ଚିତ୍ତ – ରକ୍ତାଂକିତ ଯନ୍ତ୍ରଣାର ପ୍ରତ୍ୟୟ
ଜନରବ – ଭଦ୍ରତାର ଦ୍ୱାହି ଦେଇ ତୁମ ମୁଁହ ଆଉ ନ ଚାହିଁବାର ନିଶ୍ଚୟ –
ଏସବୁ ଉର୍ଦ୍ଧ୍ୱରେ ତୁମ ଆଖିରେ ପୁଣି – ପୁଣି ଥରେ ଉଠିବାର ଆକାଂକ୍ଷା ।
ଏଇ ସବୁ କିଛି ସତ୍ତ୍ୱେ ତୁମେ ହିଁ ତ ଏକମାତ୍ର ଆଶା;
ହେଲେବି ଚାବିଦିଆ ମେସିନ୍ ପରି କବିତା ପରେ କବିତା ଲେଖି ଯିବାର ନିଶା
କେଲେବି ଭିତରେ ଭିତରେ ଏଇ ପୁରସ୍କାର, ସ୍ପର୍ଦ୍ଧା, କରତାଳିର ଅନ୍ୱେଷା
ମେହେଫିଲ୍, ରଂଙ୍ଗମଂଚ, ରଙ୍ଗତୁଳୀରେ ବୁଡି ହଜି ଯିବାର ଅଭିଲିପସା –
ଏ ସବୁ ସତ୍ତ୍ୱେ ମୋ’ର ତୁମେ – ତୁମେ ହିଁ ତ ଶେଷତମ ଆଶା ।
Leave a Reply