ଝିଅ ତୁ
କାହାର ନା କାହାର ତୁ
ଝିଅ ଟିଏ, ଆମ ଦୁନିଆର।
ସେମାନେ କହନ୍ତି ପରା
ତୋ ଜନମ
ପର ଘର ପାଇଁ!
ମୋତେ ଲାଗେ
ଇଏ ଗୋଟେ ଅଵିଚାର
ତୋ ଅସ୍ତିତ୍ୱ ପାଇଁ।
କିଏ କହେ ତୁ ଖାଲି
ଝିଅ ଟିଏ କାଳେ
ବଞ୍ଚି ରହୁ ଅନ୍ୟ ପାଇଁ,
ପୁରୁଷ ର ଆଧିପତ୍ୟ,
ଅହଂକାର, ଲାଳସାରେ
ପେଷିହୋଇ, ଜଳି ଜଳି
ସଢିଯିବା ପାଇଁ,
ଆଜୀବନ ସଳିତା ଟେ ପରି
ଜଳୁଥିବୁ –
ପରିବାର, ସଂସାର ର,
ଦୁନିଆର ସବୁତକ
ଅମା ଅନ୍ଧକାର,
ନିରାଶା ର, ହତାଶା ର
କଳା ମେଘ ଦୂରେଇବା ପାଇଁ
ତୋ ଶେଷ ନିଃଶ୍ୱାସ ଯାଏ
ତୁ କଣ ନେଇଚୁ କି ଠିକା
ଜଳୁଥିବୁ, ସଢୁଥିବୁ,
ପେଷିହୋଇ
ମରୁଥିବୁ କ୍ଷଣ କ୍ଷଣ,
ପରଘରେ ଜଳୁଥିବୁ
ନିଜ ଲୋକ ପାଇଁ,
ନିଜ ଘରେ ସାଙ୍କୁଡିବୁ
ପର ଲୋକ ପାଇଁ?
କାଲି ପରି ମା କୋଳେ
ଜହ୍ନ ପାଇଁ ତୋ ଜିଗର,
ପ୍ରଜାପତି ଧରି ଦେବା ପାଇଁ
ବାପା ପାଶେ
ଅଳି ଥିଲା ତୋର!
ଆଜି କଣ ହୋଇଛି ଯେ
ଏବେ ଆଉ ଅବୁଝା ହେଉନୁ,
ପାଲଟିଛୁ ମାଆ ଟିଏ
ସ୍ନେହମୟୀ, ଭାରି ବୁଝିବା ର?
ଦରମା ମିଳିବା ଯାଏ
ସବୁ ଅଛି ତୋର,
ଶାଢ଼ୀ ଅଛି,
ଅଛି ଅଳଙ୍କାର,
ସବୁ ଅଛି,
ଆଉ କିଛି ଲୋଡ଼ା ନାହିଁ
ଏମିତି କି ନିଜ ପାଇଁ
ରଖିବୁନି, ପରଷି ବି ଦେବୁ
କହିବୁ ଯେ ପେଟ ଭଲ ନାହିଁ!
ଯେବେ ଠୁ ଏ ଦୁନିଆ କୁ
ସନ୍ତାନ ଆଣିଲୁ,
ଭୂଲିଗଲୁ ଶେଯ, ଭୋକ,
ସ୍ୱାମୀ ସୁଖ, ଚେଇଁ ଲୁ ତୁ
ରାତି ଅଧ ଯାଏ,
ପିଲାମାନେ ବଡ଼ ହୋଇ
ଦୂରରେ ରହିଲେ
ଶିଖିଗଲୁ ନଖାଇ ରହିବା
ପିଲାମାନେ
କଥା ହେଲା ଯାଏ! !
ସଭିଏଁ ନିଅନ୍ତି ଛୁଟି,
ମିଳିଯାଏ ଅବସର
କାମ ରୁ, ଚାପ ରୁ,
କର୍ମମୟ ଜୀବନର
ସବୁ ଦିଗନ୍ତ ରୁ-
ଏ ସୁଖ ବି
ତୋ କପାଳେ ନାହିଁ,
ଭୂଲିଯାଉ କେବେ ଯେ ତୁ
ଝିଅ ଥିଲୁ, ପତ୍ନୀ ଥିଲୁ,
ଏପରିକି ମାଆ ଟିଏ ଥିଲୁ,
ଏବେ ତୋତେ ନୂଆ ରୂପେ
ଆଉ ଗୋଟେ ଅଭିନୟ
କରିବା କୁ ହେଲା-
ହେଲୁ ଜେଜି ବୁଢ଼ୀ, ଅବା ଆଈ।
ଲାଗେନା ଯେ
ତୁ ବି ସେଇ ଟିକି ଝିଅ
ଲାଜକୁଳୀ, ଅଝଟିଆ
ବାପାଙ୍କର ଅଲିଅଳି
ସେ ନାକ କାନ୍ଦୁରି-
ବାଲ୍ୟ ସାଥି,
ସଖୀ, ସହଚରୀ,
ପ୍ରଣୟିନୀ, ସୀମନ୍ତିନୀ,
ସର୍ବସଂହା, ମହିୟସୀ ନାରୀ! !
Leave a Reply