ବେଳେ ବେଳେ
ତମେ ମୋର ବେଶୀ ମନେ ପଡ ।
ମିଞ୍ଜି ମିଞ୍ଜି ଡିବିରି ଆଲୁଏ,
ଥର ଥର କାଲୁଆ ପବନେ,
ଶୀତ ରାତି ପାହାନ୍ତି ସପନେ-
ଅବସନ୍ନ ଭିତର ଟା
ଆଶଙ୍କିତ, ସଂକୁଚିତ
ହେଉଥିବା ବେଳେ –
ଭିତରେ ଭିତରେ ।।
କୁଳୁକୁଳୁ ଝରଣା ର-
ସୁଲୁ ସୁଲୁ ପବନ ର –
ଝର ଝର ଶ୍ରାବଣ ର –
ଗୀତ ଚିଏ-
ସୁଅ ହୋଇ, ସୁର ତୋଳି
ବର୍ଷିଗଲା ବେଳେ
ତମ କଥା
ନିଦ ପରି, ସ୍ୱପ୍ନ ପରି,
ମଲ୍ଲୀ କଢ ଭିଜା ବାସ୍ନା ପରି
ବହି ଆସେ କେଉଁ ଦୁନିଆ ରୁ
ଏ ବେଳା ରେ
ଖାଲି ଥାଏ ଗୋଟିଏ ମୂରତି-
ତମ ଆଖି ପତା ତଳେ
ଲୁଚିବା କୁ ଚାହୁଁ ଥିବା
ମୋ ଛାତି ତଳ ର
ଅଧା ସ୍ୱପ୍ନ, ଅଧା ଅଧା ଗୀତି-
ଏ ବେଳା ରେ
ଆଉ କିଛି ମନେ ବି ନଥାଏ-
ଖାଲି ଥାଏ ତୁମ କଥା-
ତୁମ କଥା ବେଶ ମନେ ପଡେ ।।
Leave a Reply