ଅହଲ୍ୟା
କେତେଦିନ ଜୀଇଁଥିବ ସେ
ପଥରପରି ସ୍ଥାଣୁ ଏ ଜୀବନ!
ହସ ଖୁସି, ଦୁଃଖ କଷ୍ଟ
ହୋଇଯାଏ ଏକାକାର
ଜୀବନଟା ମନେହୁଏଛନ୍ଦହୀନ, ଚଳହୀନ
ଅଭିଶପ୍ତ ଅହଲ୍ୟା ସେ
ଅପେକ୍ଷାକରିଛି ଚିର ଦିନ
କେବେ ହେବ ଜୀବନ୍ୟାସ
ଜୀବହୀନ ଜୀବନରେ,
କେଉଁଠି ଅଟକିଛନ୍ତି ବନ ମଧ୍ୟେ,
ପରମ ପୁରୁଷ ଶ୍ରୀ ରାମ ଚନ୍ଦ୍ର,
ସାଥେ ଧରି ପତ୍ନୀ ଭ୍ରାତା
ଵିସ୍ମରଣ ହୋଇଛନ୍ତି ବୋଧେ ଅଭିଶପ୍ତା ଅହଲ୍ୟାରେ !
ଯୁଗଯୁଗ ଧରି ପଡିଥାଏ
ମଥା ପାତି ନଦୀ ତୀରେ
ମିଶାଇ ଚକ୍ଷୁ ନୀର ସରଯୁ ନଦୀରେ
ଅବଶ୍ୟ ଆସିବେ ତାର ଚିରପ୍ରିୟ
ଦେଇ ପଦ ରଜ କୃତାର୍ଥ କରିବେ ତାରେ!
ବର୍ଷ ପରେ ବର୍ଷ ଯାଇଅଛି ବିତି
ନଦୀ ନୌକା ବନ କନ୍ଦର ରହିଛନ୍ତି ସାକ୍ଷୀ!
ପ୍ରଭୁଙ୍କ ଆଗମନେ, ବିମୋହିତ ସମଗ୍ର ବନାନୀ
ଦୂର ପରବତୁ ଭାସିଆସେ ସୁମଧୁର ରାଗିଣୀ
ପତ୍ରେପତ୍ରେ, ପୁଷ୍ପେପୁଷ୍ପେ ଖେଳିଯାଏ ମଧୁର ହିଲ୍ଲୋଳ
ଶିଳାର ବୁକୁ ହୁଏ ପ୍ରକମ୍ପିତ
ଜୀବନ୍ୟାସ ହୋଇଛି ବୋଧେ ତନୁରେ
ହୃଦ ମଧ୍ୟେ ଯେଣୁ ଦୁଃଖ ହୁଏ ଉପଲବ୍ଧ
ଲୁହ ଆଉ ଯନ୍ତ୍ରଣାର ଉନ୍ମେଷ
ବ୍ୟକ୍ତ କରେ ତାର ଅସ୍ଥିତ୍ୱ!
ପ୍ରଭୁଙ୍କ ଆଗମନ
ଏତେ ବିଳମ୍ବ କାହିଁକି
ମୁହୁର୍ତ୍ତଟିଏ ମନେ ହୁଏ ଯୁଗ ଯୁଗ ପରି!
ପ୍ରଭୁ ହୁଅ ସନ୍ନିକଟ
ତୁମ ପଦ୍ମପାଦ ଥାପି ଅହଲ୍ୟାର ଶିରେ
କର ଆଶୀର୍ବାଦ
ମୁକୁଳିତ କର ଅଭିଶପ୍ତ ଜୀବନ
ପାଷାଣ ତନ୍ତ୍ରୀରେ ହେବ ଜୀବନ ସଂଚାର
ଧନ୍ୟ ହେବ ଅହଲ୍ୟା, ଧନ୍ୟ ହେବ ସରଯୁ ନଦୀରନୀର
Leave a Reply